ତଲ୍ଲୀନ ପୁରୀ… ବ୍ୟାକୁଳ ଭଗବାନ


ବିଶ୍ୱର ଶତ ସହସ୍ର ଧର୍ମ ଓ ସମ୍ପ୍ରଦାୟ ଭିତରେ ଶ୍ରୀ ଜଗନ୍ନାଥ ସଂସ୍କୃତି ପଦ୍ମ ପୋଖରୀର ଫୁଲଗୁଡ଼ିକପରି। ପ୍ରତିଟି ଫୁଲ ଯେପରି ଜଳରାଶିର ଗଭୀରତା ସହ ସମ୍ପର୍କ ରକ୍ଷା କରିଥାଏ ଠିକ ସେହିପରି ଏ ସଂସ୍କୃତି, ଆସ୍ଥାଧାରୀଙ୍କ ପ୍ରତିଟି ଶିରା ପ୍ରଶିରାରେ ପ୍ରବାହିତ। ପିଢ଼ିପରେ ପିଢ଼ି ରକ୍ତ କଣିକା ଭଳି ଆମ ଶରୀରର ଅଙ୍ଗ ପ୍ରତ୍ୟଙ୍ଗକୁ ଭିତରୁ ସକ୍ଷମ କରିଚାଲିଛି ବିନା କୌଣସି ଭେଦଭାବରେ। ଏ ସଂସ୍କୃତିରେ ରାଜା ବଡ଼ ନୁହେଁ କି ପ୍ରଜା। ଧନୀ କି ଗରିବ ପରିଚୟ ସୃଷ୍ଟି କରେ ନାହିଁ। ଦାନୀ କିମ୍ବା କପଟିଆଙ୍କ ଭିତରେ ପାତର ଅନ୍ତର ନାହିଁ। ପୃଥିବୀର କୌଣସି କୋଣରେ ଏମିତି ଏକ ଠାକୁର ନାହିଁ ଯିଏ ଭକ୍ତଙ୍କ ପାଇଁ ବ୍ୟାକୁଳ ହୋଇଥାଏ। କୌଣସି ସ୍ଥାନରେ ଏପରି ପରମ୍ପରା ନାହିଁ ଯେଉଁଠି ଭକ୍ତ ଠାକୁରଙ୍କ ମୃତ୍ୟୁକୁ ଦେଖେ। ପ୍ରତିବର୍ଷ ପଟୁଆରରେ ତାଙ୍କୁ ଟାଣିନିଏ ଗଭୀର ଜନସମୁଦ୍ରକୁ ଆଉ ପୁଣିଥରେ ଫେରାଇ ଆଣେ ତାଙ୍କ ସ୍ୱଗୃହକୁ। ଏ ପରମ୍ପରାକୁ ଦେଖିବା ଲାଗି ବିଶ୍ୱ ବ୍ୟାକୁଳ ହୁଏ…, ଧର୍ମ, ଜାତି, ଭାବର ବିନା ଭେଦଭାବରେ। ଆଜି ସେ ଦିନ ପୁଣିଥରେ ଆସିଛି, ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ସାମିଲ ହେବାକୁ…।

ଆଜି ସେଇ ପବିତ୍ର ରଥଯାତ୍ରାର ଶୁଭ ଅବସରରେ ସାମିଲ ହେବା ବେଳେ ମନ ଭିତରେ ପୁଣିଥରେ ସେ ପ୍ରଶ୍ନଟି ଉଙ୍କିମାରେ,ଏ ଯାତ୍ରା କେବେଠୁ? କିଏ ଏହାର ବିନ୍ଧାଣି, କିଏ ଏହାର ସୃଷ୍ଟିକର୍ତ୍ତା? ଖାଲି ଆମେ ଜଗନ୍ନାଥପ୍ରେମୀମାନେ ଏଭଳି ପ୍ରଶ୍ନରେ ଆନ୍ଦୋଳିତ ହେଉ ତା’ ନୁହେଁ; ଅନ୍ୟ ପ୍ରାଚୀନ ଧର୍ମର ଅନୁଗାମୀମାନେ ମଧ୍ୟ ଏ ପରମ୍ପରାରେ ସାମିଲ ହୁଅନ୍ତି ଆଉ ବେଳେବେଳେ ଏହାକୁ ସେମାନଙ୍କର ନିଜସ୍ୱ ପରମ୍ପରା ବୋଲି ବି ଅଭିହିତ କରନ୍ତି। ଏମିତି ଦିନେ ବୌଦ୍ଧମାନେ ବି ଦାବି କରୁଥିଲେ। ସେମାନଙ୍କ ମତରେ ଏ ରଥଯାତ୍ରା ତାଙ୍କର ଦନ୍ତଯାତ୍ରାରୁ ଆରମ୍ଭ। ଯେଉଁମାନେ ଶ୍ରୀ ଜଗନ୍ନାଥଙ୍କୁ ବୁଦ୍ଧଙ୍କ ଅବତାର ବୋଲି କହନ୍ତି ସେମାନେ ଏ ବିଶ୍ୱାସରେ ଅଧିକ ଧ୍ୟାନ ଦିଅନ୍ତି। ଯେମିତି ଶ୍ରୀ ଜଗନ୍ନାଥଙ୍କ ରୀତି ନୀତି ଦିନକୁ ଦିନ ମାର୍ଜିତ ହୋଇ ଆଜି ପରିଷ୍କୃତ ରୀତିନୀତି ଏବଂ ଭବ୍ୟ ଉତ୍ସବରେ ରୂପାନ୍ତରିତ ହୋଇଛି, ଠିକ୍‍ ସେମିତି ଭଗବାନ ବୁଦ୍ଧଙ୍କ ଦନ୍ତଯାତ୍ରା ଆଜି ଘୋଷଯାତ୍ରାରେ ପରିଣତ ହୋଇଛି ବୋଲି ସେମାନେ କହନ୍ତି।

ମଜାଦାର କଥା ହେଉଛି, ଉଭୟ ବୌଦ୍ଧ ଓ ଜୈନ ଧର୍ମରେ ଏପରି ରଥଯାତ୍ରାର ଧାର୍ମିକ ପରମ୍ପରା ମଧ୍ୟ ରହିଛି। କେତେକ ଐତିହାସିକ ବିଶ୍ୱାସ କରନ୍ତି ଯେ ପ୍ରାଚୀନ ବୌଦ୍ଧମାନେ ଭଗବାନ ବୁଦ୍ଧଙ୍କ ପବିତ୍ର ଦେହାବଶେଷକୁ ନେଇ ଯାତ୍ରା ପାଳନ କରିବା ପାଇଁ କଳିଙ୍ଗରେ ପ୍ରଥମେ ରଥଯାତ୍ରା ଆରମ୍ଭ କରିଥିଲେ। ସେହି ସମୟରେ ପୁରୀ ‘ଦନ୍ତପୁର’—ଭଗବାନ ବୁଦ୍ଧଙ୍କ ପବିତ୍ର ଦନ୍ତଧାତୁର ସହର ଭାବରେ ଜଣାଶୁଣା ଥିଲା- ବୋଲି ସେମାନେ କହନ୍ତି।

ପ୍ରାଚୀନ ବୌଦ୍ଧ ଶାସ୍ତ୍ର ‘ଦାଠାବଂଶ’, ଯାହା ପାଲି ଭାଷାରେ ଲେଖାଯାଇଥିଲା ଏବଂ ପରେ ଡକ୍ଟର ବିମଳା ଚର୍ଣ୍ଣ ଲାହାଙ୍କ ଦ୍ୱାରା ଇଂରାଜୀରେ ଅନୁଦିତ ହୋଇଥିଲା- ଏକ ସୁନ୍ଦର କାହାଣୀ ପ୍ରଦାନ କରେ ଯାହା ଏହି ସମ୍ପର୍କ ଉପରେ ଆଲୋକପାତ କରିଥାଏ: କଳିଙ୍ଗରେ ରାଜା ଗୁହଶିବଙ୍କ ଶାସନ କାଳରେ, ଏହି ରାଜ୍ୟ ମଗଧର ଶକ୍ତିଶାଳୀ ସାମ୍ରାଜ୍ୟର ଏକ ସାମନ୍ତ ରାଜ୍ୟ ଥିଲା। ଗୁହଶିବ ଭଗବାନ ବୁଦ୍ଧଙ୍କ ପବିତ୍ର ଦନ୍ତଧାତୁକୁ ଶ୍ରଦ୍ଧାର ସହ ପୂଜା କରୁଥିଲେ, ଯାହା ସେ ତାଙ୍କ ପୂର୍ବପୁରୁଷ ରାଜା ବ୍ରହ୍ମଦତ୍ତଙ୍କଠାରୁ ଉତ୍ତରାଧିକାର ସୂତ୍ରରେ ପାଇଥିଲେ। କିନ୍ତୁ, ମଗଧର ସମ୍ରାଟ ରାଜା ପାଣ୍ଡୁ ରକ୍ଷଣଶୀଳ ହିନ୍ଦୁ ପରମ୍ପରା ଅନୁସରଣ କରୁଥିଲେ। ଏହି ଶକ୍ତିଶାଳୀ ବୌଦ୍ଧ ଅସ୍ଥିଧାତୁ ବିଷୟରେ ଶୁଣି, ରାଜା ପାଣ୍ଡୁ ଗୁହଶିବଙ୍କୁ ତୁରନ୍ତ ସେହି ଦନ୍ତଧାତୁକୁ ମଗଧର ରାଜଧାନୀକୁ ଆଣିବା ପାଇଁ ନିର୍ଦ୍ଦେଶ ଦେଲେ।

ତାଙ୍କ ସମ୍ରାଟଙ୍କ ଆଦେଶ ପାଳନ କରି ରାଜା ଗୁହଶିବ ଏକ ସୁନ୍ଦର ଭାବରେ ନିର୍ମିତ ରଥରେ ବସି ପବିତ୍ର ଅସ୍ଥିଧାତୁକୁ ନିଜ ମୁଣ୍ଡ ଉପରେ ରଖି ଦନ୍ତପୁରରୁ ଯାତ୍ରା ଆରମ୍ଭ କଲେ। ରାସ୍ତା ସାରା, କାନ୍ଦୁଥିବା ଭକ୍ତମାନଙ୍କର ଭିଡ଼ ସେମାନଙ୍କର ପବିତ୍ର ଅସ୍ଥିଧାତୁକୁ ମଗଧକୁ ନିଆଯାଉଥିବାରୁ ମର୍ମାହତ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାକୁ ଏକାଠି ହୋଇଥିଲେ। ତଥାପି, ମଗଧରେ ଦେହାବଶେଷ ଭାବେ ଦନ୍ତଧାତୁ ପହଞ୍ଚିବା ପରେ ଏକ ଚମତ୍କାର ଘଟିଲା। ଦନ୍ତର ଦିବ୍ୟ ଉପସ୍ଥିତି ଦେଖି ସମ୍ରାଟ ମନ୍ତ୍ରମୁଗ୍ଧ ହୋଇଗଲେ ଏବଂ ତୁରନ୍ତ ଜଣେ ଭକ୍ତରେ ପରିଣତ ହେଲେ। ପୁଜା କଲେ, ମୁଣ୍ଡିଆ ମାରିଲେ, ଭୂମିରେ ଲୋଟିଗଲେ। କିଛି ଦିନ ପରେ, ସେ ସେହି ରଥରେ ହିଁ ପବିତ୍ର ଦନ୍ତଧାତୁକୁ ପୁଣି ଦନ୍ତପୁରକୁ ପଟୁଆରରେ ଫେରାଇ ପଠାଇବାକୁ ଆଦେଶ ଦେଲେ। ଏହାର ପ୍ରତ୍ୟାବର୍ତ୍ତନକୁ ବିପୁଳ ଉତ୍ସାହର ସହ ପାଳନ କରାଯାଇଥିଲା ଏବଂ ନିୟମିତ ରୀତିନୀତି ପୁନର୍ବାର ଆରମ୍ଭ ହୋଇଥିଲା। ଯେହେତୁ ଅନେକ ଐତିହାସିକ ପ୍ରାଚୀନ ଦନ୍ତପୁର ସହରକୁ ଆଧୁନିକ ପୁରୀ ଭାବରେ ଚିହ୍ନଟ କରନ୍ତି, ତେଣୁ ଅନେକେ ସିଦ୍ଧାନ୍ତ ନିଅନ୍ତି ଯେ ଏହି ପୌରାଣିକ ଯାତ୍ରା ହିଁ ଏହି ଅଞ୍ଚଳର ଇତିହାସରେ ସର୍ବପ୍ରଥମ ରଥଯାତ୍ରା ଥିଲା। କିନ୍ତୁ ହିନ୍ଦୁ ଧର୍ମରେ ତ ସମାଧି, ଦେହାବଶେଷ ପୂଜାର ପରମ୍ପରା ନାହିଁ। ମର ଶରୀରକୁ ସାଇତି ରଖିବାର ସଂସ୍କୃତି ନାହିଁ। ଏଣୁ ଏଭଳି ମତବାଦକୁ କିପରି ଗ୍ରହଣ କରାଯାଇପାରିବ?

ଏହିକ୍ରମରେ ବିଶିଷ୍ଟ ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶଙ୍କ ଭଳି ଅନ୍ୟ ଗବେଷକମାନେ ମତ ଦିଅନ୍ତି ଯେ ରତ୍ନଗିରି ହେଉଛି ପ୍ରକୃତ ଦନ୍ତପୁର। ସେହିଠାରେ ଏହି ଯାତ୍ରା ହୋଇଥାଇପାରେ ଯାହାକୁ କିଛି ଗବେଷକ ପୁରୀ ଆଡ଼କୁ ଇଙ୍ଗିତ କରୁଛନ୍ତି। ହେଲେ ପୁରୀର ସଂସ୍କୃତି ଅତଳ ସଂସ୍କୃତି ଭଳି ଗଭୀର। ଭଗବାନ ବିଷ୍ଣୁଙ୍କ ଶେଷନାଗ ପରି ଅସୀମ। ଏଠି ତଥ୍ୟ ନୁହେଁ, ତତ୍ତ୍ୱ ଓ ସମର୍ପଣ ହିଁ ଭଗବାନଙ୍କ ଲୀଳାକୁ ସ୍ୱଚକ୍ଷୁରେ ଦେଖିବାର ସୁଯୋଗ ପ୍ରଦାନକରେ । ପଦ୍ମର ସୌନ୍ଦର୍ଯ୍ୟ ଭଳି। ଅର୍ଥାତ୍‍ ଏ ସୌନ୍ଦର୍ଯ୍ୟରେ କେବଳ ତଲ୍ଲୀନ ହେବାର ସୁଯୋଗ ରହିଛି,ଯୁକ୍ତି ତର୍କର ନୁହେଁ।

ହରିହର ପଣ୍ଡା

ସମ୍ପାଦକ, ଓଡ଼ିଶା ବିଗୁଲ