ପ୍ରତିଶ୍ରୁତି ବନାମ ବାସ୍ତବତା: ଓଡ଼ିଶାରେ ବିଜେପି ସରକାରଙ୍କ ୨ ବର୍ଷର ଏକ ନିରପେକ୍ଷ ସମୀକ୍ଷା


୨୦୨୪ ଜୁନ୍ ମାସରେ ଓଡ଼ିଶା ରାଜନୀତିରେ ଏକ ଐତିହାସିକ ପରିବର୍ତ୍ତନ ଦେଖାଦେଇଥିଲା। ଦୀର୍ଘ ୨୪ ବର୍ଷର ବିଜେଡି ଶାସନ ଏବଂ ଶ୍ରୀ ନବୀନ ପଟ୍ଟନାୟକଙ୍କ କରିସ୍ମାକୁ ପଛରେ ପକାଇ ଓଡ଼ିଶାର ସ୍ୱାଭିମାନୀ ଜନତା ପରିବର୍ତ୍ତନ ସପକ୍ଷରେ ମତ ଦେଇଥିଲେ। ‘ଓଡ଼ିଶା ଅସ୍ମିତା’ ଏବଂ ବିଜେପିର ନିର୍ବାଚନୀ ‘ସଂକଳ୍ପ ପତ୍ର’ ଉପରେ ଭରସା କରି ଲୋକେ ନୂଆ ସରକାର ଗଢ଼ିଥିଲେ। ବର୍ତ୍ତମାନ ସରକାରଙ୍କ ଦୁଇ ବର୍ଷ ପୂରଣ ହୋଇଥିବା ବେଳେ, ‘ଦୁଇ ବର୍ଷରେ ଦୁଇ ଗୁଣା ବିକାଶ’ର ସ୍ଳୋଗାନ୍ ଭିତରେ ବାସ୍ତବ ସ୍ଥିତି କଣ, ତାହାର ଏକ ବ୍ୟାପକ ସମୀକ୍ଷା କରିବାର ସମୟ ଆସିଛି।

୧. ପ୍ରଶାସନିକ ସ୍ଥିତି ଓ ଆକ୍ସନ:
ନିର୍ବାଚନ ପ୍ରଚାର ସମୟରେ କ୍ଷମତାର ଅପବ୍ୟବହାର କରୁଥିବା ଅଫିସରମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା। ମାତ୍ର ବାସ୍ତବ କ୍ଷେତ୍ରରେ କାହାକୁ କେନ୍ଦ୍ରକୁ ଡେପୁଟେସନରେ ପଠାଇ ଦିଆଯାଇଛି ତ କାହାକୁ ତତ୍କାଳ ଭିଆରଏସ୍ (VRS) ଦିଆଯାଇଛି। ଜନସାଧାରଣ ଆଶା କରୁଥିବା ଦୃଶ୍ୟମାନ ଓ ଦୃଢ଼ ଆକ୍ସନ ଏପର୍ଯ୍ୟନ୍ତ ଦେଖିବାକୁ ମିଳିନାହିଁ।

୨. ମନ୍ତ୍ରୀମଣ୍ଡଳ ଓ ବିଭାଗୀୟ ଅଚଳାବସ୍ଥା
ଦୁଇ ବର୍ଷ ବିତିଯାଇଥିଲେ ମଧ୍ୟ ମନ୍ତ୍ରୀମଣ୍ଡଳର ଆବଶ୍ୟକ ସମ୍ପ୍ରସାରଣ ହୋଇନାହିଁ। ଜଣେ ଜଣେ ମନ୍ତ୍ରୀଙ୍କ ପାଖରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ବିଭାଗ ରହିଥିବାରୁ ପ୍ରଶାସନିକ କାର୍ଯ୍ୟ ପରିଚାଳନାରେ ସୁବିଧା ହେଉନାହିଁ। ପୂର୍ବରୁ ଅଚଳ ଥିବା ଯୋଜନା ବୋର୍ଡକୁ ଭାଙ୍ଗିଦେବା ନିଶ୍ଚିତ ଭାବେ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ଥିଲା, କିନ୍ତୁ ଦୁଇ ବର୍ଷ ଭିତରେ ନୂତନ ବୋର୍ଡ ଗଠନ କରାଯାଇ ନପାରିବା ଫଳରେ ଯୋଜନାବଦ୍ଧ ପୁଞ୍ଜିନିବେଶ ବାଧାପ୍ରାପ୍ତ ହେଉଛି।

୩. ପ୍ରମୁଖ ଯୋଜନା: କେତେ ସଫଳ କେତେ ଅଧୁରା?
ଶ୍ରୀମନ୍ଦିର ଚାରିଦ୍ଵାର ଓ ସୁଭଦ୍ରା ଯୋଜନା:
ଶ୍ରୀମନ୍ଦିରର ଚାରିଦ୍ଵାର ଖୋଲିବା ଏବଂ ସୁଭଦ୍ରା ଯୋଜନାର ଶୁଭାରମ୍ଭକୁ ସରକାର ନିଜର ବଡ଼ ସଫଳତା ଭାବେ ପ୍ରଚାର କରୁଛନ୍ତି। ମାତ୍ର ନିର୍ବାଚନ ସମୟରେ ମହିଳାମାନଙ୍କୁ ୫୦ ହଜାର ଟଙ୍କାର ସହାୟତା କଥା କୁହାଯାଇଥିବା ବେଳେ ବର୍ତ୍ତମାନ ବର୍ଷକୁ ୧୦ ହଜାର ଟଙ୍କା ପ୍ରଦାନ କରାଯାଉଛି।

ଭାଗଚାଷୀ ଓ ଏମ୍ଏସ୍ଏସପିରେ ଧାନ ବିକ୍ରୀ

ଧାନ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ମିଳୁଥିଲେ ମଧ୍ୟ ପ୍ରକୃତ ଭାଗଚାଷୀ ଏହାର ସୁଫଳ ପାଉଛନ୍ତି କି ନାହିଁ ତାହା ବଡ଼ ପ୍ରଶ୍ନ। ଦେଢ଼ ବର୍ଷ ହେଲା ରାଜସ୍ୱ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ‘ଭାଗଚାଷୀ ଆଇନ କମିଟି’ର ରିପୋର୍ଟ ଏପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ।

୪. ଅର୍ଥନୀତି, ରୋଜଗାର ଏବଂ ସାମାଜିକ ସମସ୍ୟା:
ଦାଦନ ସମସ୍ୟା ଓ ଶିଳ୍ପାୟନ:
ଓଡ଼ିଶାର ଦାଦନ ସମସ୍ୟା ଏକ ଅତି ସମ୍ବେଦନଶୀଳ ପ୍ରସଙ୍ଗ। ଉପମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଗଠିତ କମିଟିର ରିପୋର୍ଟ ଏପର୍ଯ୍ୟନ୍ତ ଆସିନାହିଁ ଏବଂ ଆଜି ବି ବାହାର ରାଜ୍ୟରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଖବର ଗଣମାଧ୍ୟମରେ ପ୍ରକାଶ ପାଉଛି। ରାଜ୍ୟରେ ୭ ଲକ୍ଷ ଟନରୁ ଅଧିକ କପା ଉତ୍ପାଦନ ହେଉଥିଲେ ମଧ୍ୟ ନିଯୁକ୍ତି ବଢ଼ାଇବା ଓ ଦାଦନ ରୋକିବା ପାଇଁ କୌଣସି ନୂତନ ଲୁଗାକଳ ପ୍ରତିଷ୍ଠା ଚିନ୍ତା କରାଯାଉନାହିଁ।

.ସ୍ଥାନୀୟ ସମ୍ବଳର ଅନୁପଯୋଗ:
ଘଟଗାଁ ତାରିଣୀ ପୀଠର ଭିତ୍ତିଭୂମି ପାଇଁ ପୂର୍ବ ସରକାରଙ୍କ ୫୦ କୋଟି ଦେବା ପରେ ଏବର ସରକାର ୨୮୦ କୋଟି ଟଙ୍କା ବରାଦ କଲେ। କିନ୍ତୁ ସେଠାରେ ପ୍ରତି ଦିନ ଭଙ୍ଗା ଯାଉଥିବା କ୍ଵିଣ୍ଟାଲ କ୍ଵିଣ୍ଟାଲ ନଡ଼ିଆ ଏବଂ ରାଜସାରା ବିଭିନ୍ନ ଦେବୀ ପୀଠରେ ମା’ଙ୍କ ପାଇଁ ଜମା ହେଉଥିବା ନଡିଆଏବଂ ସାକ୍ଷୀଗୋପାଳରେ ଉତ୍ପାଦିତ ହେଉଥିବା ପ୍ରଚୁର ନଡ଼ିଆକୁ ସଂଗ୍ରହ କରି ‘ତାରିଣୀ ବ୍ରାଣ୍ଡ’ ନଡ଼ିଆ ତେଲ କଳ ପ୍ରତିଷ୍ଠା ଦିଗରେ ପଦକ୍ଷେପ ନିଆଯାଉ ନାହିଁ କାହିଁକି? ଓଡ଼ିଶାରେ ନଡ଼ିଆ ତେଲ କାରଖାନା ଟିଏ ନାହିଁ।

ଆଳୁରେ ଆତ୍ମନିର୍ଭରଶୀଳ ହେବା ପାଇଁ ସଂକଳ୍ପ ପତ୍ରରେ ଥିବା ୫୮ଟି ଶୀତଳ ଭଣ୍ଡାର ପ୍ରତିଷ୍ଠାର ପ୍ରତିଶ୍ରୁତି ମଧ୍ୟରୁ ଦୁଇ ବର୍ଷ ପରେ ଗୋଟିଏ ବି ନୂତନ ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ହୋଇପାରି ନାହିଁ ନା ଅଚଳ ହୋଇ ପଡ଼ିଥିବା ଶୀତଳ ଭଣ୍ଡାର ପୁନଃ କାର୍ଯ୍ୟକ୍ଷମ ହୋଇନାହିଁ।

୫.ସାମାଜିକ ପ୍ରତିଶ୍ରୁତି ଓ ଚିଟ୍‌ଫଣ୍ଡ:
ବାର୍ଦ୍ଧକ୍ୟ ଭତ୍ତା ମାସିକ ୩ ହଜାର ଟଙ୍କାକୁ ବୃଦ୍ଧି କରିବା ଏବଂ ୬ ମାସ ମଧ୍ୟରେ ଚିଟ୍‌ଫଣ୍ଡ ଜମାକାରୀଙ୍କ ଟଙ୍କା ଫେରସ୍ତ କରିବା ପ୍ରତିଶ୍ରୁତି ଏପର୍ଯ୍ୟନ୍ତ ପୂରଣ ହୋଇନାହିଁ। ଓଲଟା ଚିଟ୍‌ଫଣ୍ଡ ଠକେଇ ମାମଲାରେ ସଂପୃକ୍ତ ଥିବା କିଛି ବ୍ୟକ୍ତିଙ୍କୁ ଦଳରେ ସାମିଲ କରାଯାଉଥିବାରୁ ଅସନ୍ତୋଷ ଦେଖାଦେଇଛି। ସେହିପରି ନିଶା ନିବାରଣ ସଂକଳ୍ପ ବଦଳରେ ଅଧିକ ମଦ ଦୋକାନ ଖୋଲୁଥିବା ଦେଖାଯାଉଛି।

୬. ପ୍ରଦର୍ଶନୀ ବନାମ ଜନସାଧାରଣଙ୍କ ସ୍ୱର:
ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ରାଜଧାନୀର ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ମେଳାରେ ‘ଦୁଇ ବର୍ଷରେ ଦୁଇ ଗୁଣା ବିକାଶ’ର ବଡ଼ ବଡ଼ ବିଜ୍ଞାପନ ତ ଲାଗିଥିଲା, ମାତ୍ର ବାସ୍ତବରେ ଏହି ବିକାଶର କୌଣସି ଆଧିକାରିକ ତଥ୍ୟ ସମ୍ବଳିତ ପୁସ୍ତିକା ଷ୍ଟଲ୍ ଗୁଡ଼ିକରେ ଉପଲବ୍ଧ ନଥିଲା। ସେଠାରେ ଥିବା ଦାମୀ ଫୁଡ୍ କୋର୍ଟ ଓ ସେଲ୍ଫି ପଏଣ୍ଟ ସାଧାରଣ ଜନତାଙ୍କ ପରିବର୍ତ୍ତେ କେବଳ ଧନୀ ଲୋକଙ୍କ ମଉଜ ମାଜଲିସ୍ ପାଇଁ ଉଦ୍ଦିଷ୍ଟ ଥିଲା ପରି ମନେ ହେଉଥିଲା, ଯେଉଁଠାରେ ସାଧାରଣ ଓ ଗରିବ ଲୋକଙ୍କ ସ୍ୱର ଗୌଣ ଥିଲା।

୭. ନିଷ୍କର୍ଷ:
ଗଣତନ୍ତ୍ରରେ ଜନସାଧାରଣ ହିଁ ସର୍ବୋପରି ଏବଂ ସେମାନେ ଆଜି ବାଟ-ଘାଟ, ହାଟ-ବଜାରରେ ଏହି ସବୁ ଅଧୁରା ପ୍ରତିଶ୍ରୁତିକୁ ନେଇ ଆଲୋଚନା ଓ ନିରାଶା ପ୍ରକଟ କରୁଛନ୍ତି। ସରକାରଙ୍କ ଭଲ ପଦକ୍ଷେପକୁ ସ୍ୱାଗତ କରିବା ସହ ନିର୍ବାଚନୀ ପ୍ରତିଶ୍ରୁତି ଓ ବାସ୍ତବତା ମଧ୍ୟରେ ଥିବା ଏହି ବ୍ୟବଧାନକୁ ନେଇ ପ୍ରଶ୍ନ କରିବା ପ୍ରତ୍ୟେକ ସଚେତନ ନାଗରିକଙ୍କ କର୍ତ୍ତବ୍ୟ।

ନଟବର ଖୁଣ୍ଟିଆ
ବରିଷ୍ଠ ସ୍ତମ୍ଭକାର