ଗୋଟିଏ ଦେଶ ବା ରାଜ୍ୟ ବାବଦରେ ଚର୍ଚ୍ଚା ଓ ବିଶ୍ଳେଷଣ ବିଭିନ୍ନ ଦୃଷ୍ଟିକୋଣରୁ କରା ଯାଇଥାଏ। ଐତିହାସିକ, ସାମାଜିକ,ରାଜନୈତିକ ଏବଂ ଆର୍ଥିକ ପୃଷ୍ଠଭୂମିର ଆଧାରରେ ଆଲୋଚନା ଗୁଣାତ୍ମକ ହୋଇଥାଏ। ଯଦି ଆମେ ଅର୍ଥନୈତିକ ପ୍ରଦର୍ଶନ ଦୃଷ୍ଟିରୁ ଆମ ରାଜ୍ୟ ଓଡ଼ିଶାର ବିଗତ ତିନି ଦଶନ୍ଧିର ପ୍ରଦର୍ଶନକୁ ବିଚାର କରିବା ତେବେ ଏକଥା ଯେ କେହି ବି ସ୍ୱୀକାର କରିବ ଆମେ ବହୁ କ୍ଷେତ୍ରରେ ଉଚ୍ଚକୋଟିର ସଫଳତା ହାସଲ କରିଛୁ।
ଆମ ଦେଶରେ ବିଭିନ୍ନ ରାଜ୍ୟମାନଙ୍କୁ Per Capita NSDP ହିସାବରେ ଆର୍ଥିକ ସ୍ୱଚ୍ଛଳ ବା ଆର୍ଥିକଭାବେ ପଛୁଆ ଭାବେ ଆକଳନ କରାଯାଇଥାଏ। ଦୀର୍ଘଦିନଧରି ଓଡ଼ିଶା ସାରା ଭାରତର ଆର୍ଥିକ ଦୃଷ୍ଟିକୋଣରୁ ଏକ ଗରିବ ରାଜ୍ୟ ଭାବେ ଗଣା ହୋଇ ଆସିଥିଲା । ୧୯୯୯-୨୦୦୦ରେ ଓଡ଼ିଶା ଭାରତର ୧୯ଟି ବଡ଼ ରାଜ୍ୟ ମାନଙ୍କ ଭିତରେ Per Capita NSDP ଆଧାରରେ ୧୭ ତମ ସ୍ଥାନରେ ଥିଲା । ମାତ୍ର ବିଗତ ଦୁଇ-ତିନି ଦଶନ୍ଧିରେ ଦ୍ରୁତ ଆର୍ଥିକ ପ୍ରଗତି ଯୋଗୁଁ ଓଡ଼ିଶା ଭାରତରେ ନିଜର ତୁଳନାତ୍ମକ ସ୍ଥିତିରେ ଉନ୍ନତି କରି ୨୦୧୯-୨୦ ରେ ୧୪ତମ ସ୍ଥାନ ଏଵଂ ୨୦୨୩-୨୪ ମସିହାରେ ୧୧ତମ ସ୍ଥାନକୁ ଉତ୍ତୀର୍ଣ୍ଣ ହୋଇଛି। ଏହା ନିଶ୍ଚିତ ଭାବେ ଏକ ଆଶ୍ବସ୍ତିକର ବିଷୟ ସମସ୍ତଙ୍କ ପାଇଁ। କିନ୍ତୁ ଯେଉଁଭଳି ଭାବେ ଭାରତର ଅନ୍ୟ କିଛି ରାଜ୍ୟ ନିଜର ଦ୍ରୁତ ଆର୍ଥିକ ଅଭିବୃଦ୍ଧି ପାଇଁ ପ୍ରଚେଷ୍ଟା କରୁଛନ୍ତି, ସେହି ଦୌଡ଼ରେ ଓଡ଼ିଆ ପଛରେ ପଡ଼ିବା ଭଳି ଅନୁଭବ ହେଉଛି। ଯଦି ଏହି ଧାରା ଜାରି ରହେ, ତେବେ ତାର ପ୍ରଭାବ ଓଡିଶାର ତୁଳାନାତ୍ମକ ଆର୍ଥିକ ସ୍ଥିତିର ରାଙ୍କିଙ୍ଗକୁ ପ୍ରଭାବିତ କରିବ ।
ଓଡିଶାର କ୍ରମାଗତ ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ବିଭିନ୍ନ ଯୋଜନା କରାଯାଇପାରେ। ତନ୍ମଧ୍ୟରୁ ବ୍ୟାଙ୍କିଙ୍ଗ ଆଉ ଫାଇନାନ୍ସ ଜନିତ ଯୋଜନା ଏକ ପ୍ରଧାନ ଅଂଶ ।
ଆର୍ଥିକ ଅଭିବୃଦ୍ଧି ପାଇଁ ବ୍ୟାଙ୍କଗୁଡିକ ପାଣ୍ଠି ଯୋଗାଇଥାନ୍ତି ଯାହାକି ଶିଳ୍ପଜନିତ ବିନିଯୋଗ ପାଇଁ ଅତ୍ୟନ୍ତ ଆବଶ୍ୟକ ହୋଇଥାଏ। ଓଡ଼ିଶାର ଭାଗ ସର୍ବଭାରତୀୟ ସ୍ତରରେ ବ୍ୟାଙ୍କ ଋଣର ମାତ୍ର ୧.୦-୧.୫ ପ୍ରତିଶତ ।
ଓଡ଼ିଶାରେ ବ୍ୟାଙ୍କ କ୍ରେଡିଟ-ଡିପୋଜିଟର ଅନୁପାତ ୨୦୨୪-୨୫ରେ ୪୮.୧ ପ୍ରତିଶତ ଥିଲା, ଯାହାକି ସର୍ବଭାରତୀୟ ସ୍ତରରେ ୮୦.୧ ପ୍ରତିଶତ ଥିଲା ତୁଳନାତ୍ମକ ଭାବରେ । ଏସବୁ ଦର୍ଶାଉଛି କି ଓଡ଼ିଶାରେ ବ୍ୟାଙ୍କିଙ୍ଗ ଆଉ ଫାଇନାନ୍ସ ବ୍ୟବସ୍ଥାକୁ ସଠିକ ଭାବେ ଉପଯୋଗ କରାଯାଇ ପାରିନାହିଁ। ଏଣୁ ଏବେର ସରକାର ଚିନ୍ତା କରିବା କଥା କିପରି ବ୍ୟାଙ୍କ ମାନଙ୍କ ସହଯୋଗରେ ଉପଯୁକ୍ତ ନୀତି ନିର୍ଦ୍ଧାରଣ କରି ଓଡିଶାର ଆର୍ଥିକ ଅଭିବୃଦ୍ଧିକୁ ବଜାୟ ରଖାଯିବ।
ପ୍ରଫେସର ଅମରେଶ ସାମନ୍ତରାୟ
ଅର୍ଥଶାସ୍ତ୍ର ବିଭାଗ
ପଣ୍ଡିଚେରୀ ବିଶ୍ୱବିଦ୍ୟାଳୟ
ପୂର୍ବତନ ସଦସ୍ୟ, ଷଷ୍ଠ ଅର୍ଥ କମିଶନ,ଓଡ଼ିଶା
