ବ୍ୟୁରୋ ରିପୋର୍ଟ, ଓଡ଼ିଆ ଫାଷ୍ଟ, ଭୁବନେଶ୍ୱର, ୨୭ ଜୁନ୍ ୨୦୨୫: ୨୦୨୪ ମସିହା ଜୁନ ୪ ତାରିଖ। ୨୪ ବର୍ଷ ଧରି ଶାସନ କ୍ଷମତାରେ ଥିବା ବିଜୁ ଜନତା ଦଳକୁ ଓଡ଼ିଶାବାସୀ କ୍ଷମତାଚ୍ୟୁତ କଲେ ଏବଂ ବିରୋଧୀଦଳ ଆସନରେ ବସାଇଦେଲେ। ଦୀର୍ଘ ୧୫ ବର୍ଷ ପରେ ବିଜେପି ଫେରିଲା କ୍ଷମତାକୁ ଓ ଏକାକୀ ଗଠନ କଲା ସରକାର। ସରକାରର ମଙ୍ଗ ଧରିଲେ ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ଭାବରେ। ତେବେ ଏହି ନିର୍ବାଚନ ଫଳାଫଳକୁ ବର୍ଷେ ପୂରି ଯାଇଛି। ରାଜ୍ୟବାସୀ ଏବେ ଆରମ୍ଭ କରିଛନ୍ତି ହିସାବ କିତାବ ଏଇ ୧୨ ମାସର।
ବିଜେପି ସରକାରର ରିପୋର୍ଟ କାର୍ଡ଼ ଉପରେ ନଜର ପକାଇଲେ ଏହା ସ୍ପଷ୍ଟ ହେଉଛି ଯେ, ଗତ ବର୍ଷ ମଧ୍ୟରେ ଆଶା ଠାରୁ କମ୍ କାମ ହୋଇଛି। ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବା ନିଷ୍ପତ୍ତି, ଚାଷୀଙ୍କୁ ଇନପୁଟ ସବସିଡ଼ି ଦେବା, ମହିଳା ମାନଙ୍କ ପାଇଁ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରିବା ଏବଂ ଓବିସି ବର୍ଗଙ୍କୁ ସନ୍ତୁଷ୍ଟ କରିବାର ନିଷ୍ପତ୍ତି ବ୍ୟତୀତ ଅନ୍ୟ କିଛି କାର୍ଯ୍ୟ ଦୃଷ୍ଟି ଗୋଚର ହେଲା ନାହିଁ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କାର୍ଯ୍ୟକଳାପ କେବଳ ଜନଶୁଣାଣି ଓ ବିଭିନ୍ନ ଜିଲ୍ଲା ଗସ୍ତ କରିବାରେ ସୀମିତ ହୋଇ ଯାଇଛି। ଏପରିକି ନିଜର ସରଳତା ଜାହିର କରିବାକୁ ଯାଇ ଅନେକ ଭାବେ ସମାଲୋଚନାର ଶରବ୍ୟ ହୋଇଛନ୍ତି ମୁଖ୍ୟମନ୍ତ୍ରୀ। ସେହିପରି ସରକାରର ଆଡ଼ମ୍ବରପୂର୍ଣ୍ଣ ବର୍ଷପୂର୍ତ୍ତୀ ଉତ୍ସବ ପାଳନ ମଧ୍ୟ ଲୋକଙ୍କୁ ସନ୍ତୁଷ୍ଟ କରିପାରିନାହିଁ। ପ୍ରଧାନମନ୍ତ୍ରୀ ଏହି ଉତ୍ସବରେ ଯୋଗ ଦେଲେ ସତ ମାତ୍ର ଯେଉଁ ଗ୍ୟାରେଣ୍ଟି ଦେଇ ବିଜେପିକୁ କ୍ଷମତାକୁ ଆଣିଥିଲେ ସେ କଥା ସବୁକୁ ଭୁଲିଗଲେ। ଦୁର୍ନୀତିଗ୍ରସ୍ତ ଅଫିସରଙ୍କ ଟିମ୍ ଓ ଏହାର ଦଳପତି ଥିବା ଭିକେ ପାଣ୍ଡିଆନଙ୍କୁ ମଧ୍ୟ ରାଜକ୍ଷମା ପ୍ରଦାନ କରିବା ଘଟଣାକୁ ନେଇ ଉପହାସର ପାତ୍ର ହୋଇଛି ରାଜ୍ୟ ବିଜେପି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କ୍ୟାବିନେଟ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, କୃଷ୍ଣଚନ୍ଦ୍ର ପାତ୍ର ଆଦିଙ୍କ ଅପାରଗତା ନେଇ ବିରୋଧୀଦଳ ଓ ଜନସାଧାରଣଙ୍କ ପାଖରେ ବଦନାମ ହେବାକୁ ପଡ଼ିଛି ରାଜ୍ୟ ବିଜେପି ସରକାରଙ୍କୁ।
ସେହିପରି ପ୍ରମୁଖ ବିରୋଧୀଦଳ ଭାବେ ଲୋକଙ୍କ ସ୍ୱର ହୋଇପାରିନାହିଁ ବିଜୁ ଜନତା ଦଳ। ପାଣ୍ଡିଆନ ଓ ବବି ଦାସ ଯୋଡ଼ିଙ୍କ ପ୍ରଭାବରୁ ଏଯାଏଁ ମୁକ୍ତ ହୋଇପାରିନାହିଁ ବିଜେଡି। ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିଜେଡି ଯେ ବିରୋଧୀଦଳ ଭୂମିକା ସଠିକ ଭାବେ ନିର୍ବାହ କରିପାରିନାହିଁ ଏହା ସ୍ପଷ୍ଟ ଭାବେ ବୁଝା ପଡ଼ିଯାଇଛି। ବରିଷ୍ଠ ବିଜେଡି ନେତା ମାନଙ୍କୁ ଅଣଦେଖା କରି ପୁନର୍ବାର ବବିଦାସ-ଭିକେ ପାଣ୍ଡିଆନଙ୍କ ଉପରେ ନିର୍ଭର କରିବା ଦ୍ୱାରା ନବୀନ ପଟ୍ଟନାୟକ ବିରୋଧୀଦଳ ନେତା ଭାବେ ସାଧାରଣ ଲୋକଙ୍କ ଆସ୍ଥାଭାଜନ ହେବାରୁ ବଞ୍ଚିତ ହୋଇଛନ୍ତି ।
ବିଜେଡି ଦଳ ଭିତରେ ଅସନ୍ତୋଷ ଏତେ ଅଧିକ ହୋଇଛି ଯେ, ଯାହାକୁ ସମ୍ଭାଳିବାରେ ଅକ୍ଷମ ହୋଇଛନ୍ତି ନବୀନ ପଟ୍ଟନାୟକ। ନା ସେ ଲୋକଙ୍କ ପାଖକୁ ଯାଇପାରୁଛନ୍ତି ଅବା ଦଳକୁ ସଠିକ ଭାବେ ପରିଚାଳନା କରିପାରୁଛନ୍ତି। ଏପରିକି ରାଜନୀତିରୁ ସନ୍ୟାସ ଘୋଷଣା କରିଥିବା ପାଣ୍ଡିଆନଙ୍କ ପାଇଁ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିତ୍ୱକୁ ନେଇ ଏବେ ନାନା ପ୍ରଶ୍ନ ଉଠୁଛି ସାଧାରଣ ଲୋକଙ୍କ ମନରେ। ଠିକ୍ ନିର୍ବାଚନ ପୂର୍ବ ପରିସ୍ଥିତି ଭଳି ଏବେବି ବିଜେଡି “ଶଶୀକଳା ସିଣ୍ଡ୍ରୋମ” ଦ୍ୱାରା ଆକ୍ରାନ୍ତ ହୋଇଥିବା ପ୍ରମାଣିତ ହୋଇଛି। ନବୀନ ଆଗ ପରି ଏବେ ବି ନିଜର କର୍ମୀ ଓ ନେତାଙ୍କ ପାଇଁ ପାଲଟିଛନ୍ତି ଅପହଞ୍ଚ। ଏଣୁ ଗତ ବର୍ଷକ ମଧ୍ୟରେ ବିଜେଡି ବିରୋଧୀଦଳ ଭାବେ ଭୂମିକା ନିର୍ବାହ କରିବା ତ ଦୂରର କଥା ବରଂ ଏହାର ଭବିଷ୍ୟତ ନେଇ ଅବଗଣନା ଆରମ୍ଭ ହୋଇଯାଇଛି। ଏପରିକି ପାଣ୍ଡିଆନଙ୍କ କ୍ଷମତା ନିଶା ପାଇଁ ବିଜେଡି କୌଣସି ସମୟରେ ଯେ ବିଭାଜନ ଆଡ଼କୁ ନମୁହାଁଇବ ତାହାକୁ ମଧ୍ୟ ଅସ୍ବୀକାର କରାଯାଇ ପାରିବ ନାହିଁ।
ଅନ୍ୟତମ ବିରୋଧୀଦଳ ଭାବେ କଂଗ୍ରେସର କାର୍ଯ୍ୟକଳାପ ଯଦିଓ ସେତେଟା ଉତ୍ସାହଜନକ ନୁହେଁ ତଥାପି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିଜେପିକୁ ପଛରେ ପକାଇ ହେଇଛି ରାଜ୍ୟ କଂଗ୍ରେସ। ଆଇନ ଶୃଙ୍ଖଳା ଭଳି ଏକ ପ୍ରମୁଖ ପ୍ରସଙ୍ଗକୁ ଦେଖିଲେ କଂଗ୍ରେସ ଏନେଇ ସ୍ୱର ଉଠାଇବା ସହ ରାଜ୍ୟର ପ୍ରମୁଖ ବିରୋଧୀଦଳର ମାନ୍ୟତା ପାଇଥିବା ବିଜେଡିକୁ ମାତ୍ ଦେବାରେ ସକ୍ଷମ ହୋଇଛି। ଅନ୍ୟପକ୍ଷରେ ନୂଆକରି ପିସିସି ସଭାପତି ହୋଇଥିବା ଭକ୍ତ ଚରଣ ଦାସ ମଧ୍ୟ ଏପର୍ଯ୍ୟନ୍ତ ନିଜର ପୂର୍ଣ୍ଣାଙ୍ଗ ଟିମ୍ ଘୋଷଣା କରିପାରି ନାହାଁନ୍ତି ଅବା ଦଳର ସମସ୍ତ ନେତୃବର୍ଗଙ୍କ ସହଯୋଗ ପାଇବାରେ ମଧ୍ୟ ବିଫଳ ହୋଇଛନ୍ତି।
ପରିଶେଷରେ ଏଇ ୧୨ ମାସ ମଧ୍ୟରେ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳର କାର୍ଯ୍ୟକ୍ରମ ଓ ନିଷ୍ପତ୍ତି ନେବାର କ୍ଷମତାକୁ ଯଦି ତର୍ଜମା କରାଯାଏ ତାହାହେଲେ ସ୍ପଷ୍ଟଭାବେ ସୂଚିତ ହେଉଛି ଯେ, ସରକାରୀ ଦଳ ଭାବେ ବିଜେପି ଲୋକଙ୍କ ଆଶା ଆକାଂକ୍ଷା ପୂରଣ କରିବାରେ ବିଫଳ ହୋଇଥିବା ବେଳେ ବିଜେଡି ମଧ୍ୟ ବିରୋଧୀଦଳର ଭୂମିକା ସଠିକ୍ ଭାବେ ନିର୍ବାହ କରିପାରିନାହିଁ। ଅପରପକ୍ଷେ କଂଗ୍ରେସ ନେତୃତ୍ୱ ଘର ସଜାଡ଼ିବା ଉଦ୍ୟମ ଭିତରେ ଏବେବି ସୀମିତ ରହିବାଭଳି ଲାଗୁଛି ।